ୟ ସରକାର ଆଇପିଏସ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ଆଜି (ମଙ୍ଗଳବାର) ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ରହ୍ମପୁର ଏସ୍ପି ଭାବେ କାର୍ଯ୍ୟ କରୁଥିବା ୨୦୧୫ ବ୍ୟାଚର ଆଇପିଏସ ଅଫିସର ସର୍ବଣା ବିବେକ ଏମ୍ ଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତ କରାଯାଇଛି । ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଜଗମୋହନ ମୀନାଙ୍କ ସ୍ଥାନରେ ତାଙ୍କୁ ଏହି ଗୁରୁଦାୟିତ୍ବ ଦିଆଯାଇଛି । ସେହିପରି ଢେଙ୍କାନାଳ ଏସ୍ପି ଥିବା ୨୦୧୯ ବ୍ୟାଚର ଆଇପିଏସ ଅଫିସର ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସ୍ପି ଭାବେ ବଦଳି କରାଯାଇଛି । ପାରାଦ୍ୱୀପ ଏଏସ୍ପି ଭାବେ କାର୍ଯ୍ୟ କରୁଥିବା ୨୦୨୨ ବ୍ୟାଚର ଆଇପିଏସ ଅଧିକାରୀ ଅଜିଙ୍କ୍ୟ ବି ମାନେଙ୍କୁ ଢେଙ୍କାନାଳ ଏସ୍ପି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ରାଜ୍ୟ ପୋଲିସ ହେଡକ୍ୱାର୍ଟରରେ ସହକାରୀ ଆରକ୍ଷୀ ଅଧୀକ୍ଷକ ଥିବା ୨୦୨୧ ବ୍ୟାଚର ଆଇପିଏସ ଅଧିକାରୀ ଏ.ବି. ଶିଳ୍ଫାଙ୍କୁ ବରଗଡ଼ ଏସ୍ଡିପିଓ ଭାବେ ବଦଳି କରାଯାଇଛି ।
ସର୍ବଣା ବିବେକଙ୍କ ଉପରେ ରାଜ୍ୟ ସରକାର ଭରସା କରି ବଡ଼ ଦାୟିତ୍ୱ ଦେଇଛନ୍ତି । ସର୍ବଣା ବିବେକ ବ୍ରହ୍ମପୁରରେ ଅପରାଧୀଙ୍କୁ ସାବାଡ଼ କରିବା ନେଇ ଚର୍ଚ୍ଚାକୁ ଆସିଥିଲେ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଓ ବହୁ ଚର୍ଚ୍ଚିତ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାର ପର୍ଦ୍ଦାଫାସ କରି ସେ ଚର୍ଚ୍ଚାକୁ ଆସିଥିଲେ । ରାଜଧାନୀର ଡିସିପି ଭାବେ ଦାୟିତ୍ୱ ତୁଲାଇବା ତାଙ୍କ ଆଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। । କାରଣ ଏଠାରେ ଆଇନଶୃଙ୍ଖଳା ପରିଚାଳନାଠାରୁ ଆରମ୍ଭ କରି ସଂଗଠିତ ଅପରାଧ, ଡ୍ରଗ୍ସ କାରବାର, ସାଇବର କ୍ରାଇମ୍, ଟ୍ରାଫିକ୍ ଓ ଭିଭିଆଇପିଙ୍କ କାର୍ଯ୍ୟକ୍ରମ ସମ୍ଭାଳିବା ସର୍ବଣା ବିବେକଙ୍କ ପାଇଁ ଚ୍ୟାଲେଞ୍ଜ ରହିବ ବୋଲି କୁହାଯାଉଛି ।